ଦେହ ବ୍ୟବସାୟ ଆଇନସମ୍ମତ; ପୁଲିସ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିବ ନାହିଁ: ସୁପ୍ରିମ୍‌ କୋର୍ଟ

0
297
SC issue-notice-to-uttar-pradesh-government on-bulldozer-drive

ନୂଆଦିଲ୍ଲୀ: ଦେହ ବ୍ୟବସାୟ ଏକ ବୃତ୍ତି ବା ପେସା ଏବଂ ଆଇନ ଅନୁସାରେ ଦେହଜୀବୀମାନେ ସାମାଜିକସ୍ତରରେ ସମ୍ମାନ ଏବଂ ସମାନ ସୁରକ୍ଷା ପାଇବାକୁ ହକ୍‌ଦାର। ତେଣୁ, ସହମତିରେ ବେଶ୍ୟାବୃତ୍ତି କରୁଥିବା ଯୌନକର୍ମୀଙ୍କ କାର୍ଯ୍ୟରେ ହସ୍ତକ୍ଷେପ ନ କରିବା ସହ ସେମାନଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଲାଗି ଆଜି ସୁପ୍ରିମ୍‌ କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇ କହିଛନ୍ତି।

ଯୌନକର୍ମୀମାନଙ୍କ ଅଧିକାରଗୁଡ଼ିକର ସୁରକ୍ଷା ନିମନ୍ତେ ବିଚାରପତି ଏଲ୍‌. ନାଗେ‌ଶ୍ବର ରାଓଙ୍କ ନେତୃତ୍ବାଧୀନ ୩ଜଣ ବିଚାପତିବିଶିଷ୍ଟ ଖଣ୍ଡପୀଠ ଏ ମାମଲାରେ ୬ଟି ନିର୍ଦେଶନାମା ଜାରି କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ଯୌନକର୍ମୀମାନେ ଆଇନ ପାଖରୁ ସମାନ ସୁରକ୍ଷା ପାଇବାକୁ ହକଦାର। ବୟସ ଏବଂ ସମ୍ମତିକୁ ଭିତ୍ତି କରି ସମସ୍ତ ମାମଲାରେ ଅପରାଧିକ ଆଇନ ଲାଗୁ କରାଯାଇ ପାରିବ। ଯୌନକର୍ମୀଜଣକ ପ୍ରାପ୍ତ ବୟସ୍କା ଏବଂ ସମ୍ମତିରେ ବେଶ୍ୟାବୃତ୍ତି କରୁଥିବା ସ୍ପଷ୍ଟ ହୋଇଗଲେ ପୁଲିସ ହସ୍ତକ୍ଷେପ କରିବା ଓ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣରୁ ବିରତ ରହିବା ଉଚିତ।

ସ୍ବେଚ୍ଛାକୃତ ବେଶ୍ୟାବୃତ୍ତି ବେଆଇନ ହୋଇ ନ ଥିବାରୁ ବେଶ୍ୟାଳୟରେ ଚଢ଼ାଉ ସମୟରେ ଯୌନକର୍ମୀମାନଙ୍କୁ ଗିରଫ କରିବା, ଦଣ୍ଡିତ କରିବା, ହଇରାଣ କରିବା କିଂବା ଶୋଷଣ କରିବା ଅନୁଚିତ। କିନ୍ତୁ, ବେଶ୍ୟାଳୟ ଚଳାଇବା ବେଆଇନ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି। ଯୌନ ବ୍ୟବସାୟରେ ଲିପ୍ତ ଥିବା ଦର୍ଶାଇ ଶିଶୁ ଯୌନକର୍ମୀଙ୍କୁ ମଧ୍ୟ ତାଙ୍କ ମାଆଙ୍କ ଠାରୁ ପୃଥକ୍‌ କରାଯିବା ଅନୁଚିତ।

ଯଦି କୌଣସି ନାବାଳିକା ବେଶ୍ୟାଳୟ କିଂବା ଯୌନକର୍ମୀମାନଙ୍କ ସହିତ ବସବାସ କରୁଥିବା ଦେଖାଯାଏ, ତାଙ୍କୁ ଚୋରାଚାଲାଣ କରାଯାଇଛି ବୋଲି ଧରି ନେବା ଅନୁଚିତ ବୋଲି ମଧ୍ୟ ସୁପ୍ରିମ୍‌ କୋର୍ଟ କହିଛନ୍ତି। ଏହା ବ୍ୟତିରେକେ ସୁପ୍ରିମ୍‌ କୋର୍ଟ ଯୌନକର୍ମୀମାନଙ୍କ ଅଧିକାର ଓ ସୁରକ୍ଷା ‌ନିମନ୍ତେ ଅନେକ ସୁପାରିସ କରିବା ସହ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କଠାରୁ ଉତ୍ତର ମାଗିଛନ୍ତି। ଜୁଲାଇ ୨୭ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Also Read  ବଢ଼ୁଛି କରୋନା ସଂକ୍ରମଣ, ପାଞ୍ଚ ରାଜ୍ୟକୁ ଚିଠି ଲେଖିଲେ କେନ୍ଦ୍ର ସରକାର