ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ଏବେ ସାରା ଦେଶରେ ବିରୋଧ ଚାଲିଛି । ବିଭିନ୍ନ ରାଜ୍ୟ ବ୍ୟାପି ଚାଲିଥିବା ବିକ୍ଷୋଭ ଓ ଅସନ୍ତୋଷ ମଧ୍ୟରେ ଏବେ ସେନା ପକ୍ଷରୁ ଏକ ନୂଆ ଘୋଷଣା ଜାରି କାରାଯାଇଛି । ଏପଟେ ଅଗ୍ନିବୀରଙ୍କୁ ନିଯୁକ୍ତି ନେଇ ପ୍ରକ୍ରିୟା ଆଗକୁ ବଢିବାରେ ଲାଗିଛି । ଆସନ୍ତା ଶୁକ୍ରବାର ୨୪ତାରିଖ ଦିନ ବାୟୁସେନାରେ ଅଗ୍ନିବୀରକୁ ଭର୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ବାୟୁସେନା ମୁଖ୍ୟ ଭି.ଆର. ଚୌଧୁରୀ ।
ଯେଉଁମାନେ ସେନାରେ ଭର୍ତ୍ତି ହେବା ପାଇଁ ପ୍ରସ୍ତୁତ ହେଉଛନ୍ତି, ସେମାନଙ୍କୁ ଏହି ଫୋର୍ସରେ ଭର୍ତ୍ତି ପାଇଁ ନୂଆା ସୁଯୋଗ ଦେବ।ସେଥିପାଇଁ ଆଗାମୀ ଶୁକ୍ରବାର ଠାରୁ ନିୟମାନୁଯାୟୀ ଭର୍ତ୍ତି ପ୍ରକ୍ରିୟା କାର୍ଯ୍ୟ ଆରମ୍ଭ ହୋଇଯିବ । ସେନାଧ୍ୟକ୍ଷ ଅଗ୍ନିପଥ ଯୋଜନାରେ ଦେଶର ଯୁବକ ମାନେ ଅଗ୍ନିବୀର ଭାବେ ସାମିଲ ହେବାର ସୁଯୋଗର ଫାଇଦା ଉଠାଇବାକୁ ଆହ୍ବାନ ମଧ୍ୟ ଦେଇଛନ୍ତି ।
ଅନ୍ୟପଟେ କେନ୍ଦ୍ର ସରକାର ସେନା ବାହିନୀ ପାଇଁ ଅଗ୍ନିପଥ ନିଯୁକ୍ତି ଯୋଜନାରେ ବୟସ ସୀମା ବୃଦ୍ଧି କରିଛନ୍ତି । ପ୍ରଥମ ବର୍ଷ ପାଇଁ ସର୍ବାଧିକ ବୟସ ସୀମାକୁ ବଢାଇ ୨୧ରୁ ୨୩ ବର୍ଷ କରାଯାଇଛି । ଏବେ ଏହି ଯୋଜନାରେ ୨୩ ବର୍ଷ ବୟସର ଯୁବକ ଯୁବତୀମାନେ ବି ନିଯୁକ୍ତି ପାଇପାରିବେ । ପ୍ରତିରକ୍ଷା ମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨ ବର୍ଷ ମଧ୍ୟରେ କୌଣସି ନିଯୁକ୍ତି ହୋଇନଥିବାରୁ ସରକାର ଏପରି ପଦକ୍ଷେପ ନେଇଛନ୍ତି । ଏହି ବର୍ଦ୍ଧିତ ବୟସ ସୀମା କେବଳ ପ୍ରଥମ ବର୍ଷ ପାଇଁ ଲାଗୁ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।