ଭୁବନେଶ୍ବର: ଆଶଙ୍କାରେ ପ୍ରଭୁ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା। ଗତକାଲି ହୋଇପାରିଲାନି ମଙ୍ଗନ। ବ୍ରାହ୍ଣଣ ଓ ପୂଜାପଣ୍ଡା ନିଯୋଗର ଅସହଯୋଗ ଯୋଗୁ ମଙ୍ଗନ କାର୍ଯ୍ୟ ବନ୍ଦ ରହିଥିଲା। ମଙ୍ଗନ ହୋଇନଥିବାରୁ ଶିବ ବିବାହ ହେବା ନେଇ ଆଶଙ୍କା ଦେଖାଦେଇଛି।
ମନ୍ଦିର ଟ୍ରଷ୍ଟ ଓ ପ୍ରଶାସନ ସହିତ ନିଯୋଗ କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ସତ୍ତ୍ୱେ ବାହାରି ପାରୁନି ନିଷ୍କର୍ସ। ପୂର୍ବ ଦାବି ପୂରଣ ହୋଇନଥିବାରୁ ଉଭୟ ବ୍ରାହ୍ଣଣ ଓ ପୂଜାପଣ୍ଡା ନିଯୋଗ ଅସହଯୋଗ କରିଛନ୍ତି। ସମାଧାନର ବାଟ ନବାହାରିଲେ ଚଳିତ ବର୍ଷ ଶୀତଳଷଷ୍ଠୀ ବନ୍ଦ ହେବା ସମ୍ଭାବନା ଦେଖାଦେଇଛି।
ଆଜି ବିଭିନ୍ନ ନିଯୋଗ ଓ ସେବାୟତଙ୍କ ଦାବି ଓ ବିବାଦ ତୁଟାଇବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଭୁବନେଶ୍ୱର ଉପ ଜିଲ୍ଲାପାଳ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ କପିଳେଶ୍ୱର ମନ୍ଦିରର ଖୁଣ୍ଟିଆ ଓ ମାଲିଆ ସେବାୟତଙ୍କ ସହ ଆଲୋଚନା ସମୟ ଚୂଡାନ୍ତ ହୋଇଛି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦିନ ୧୧ ଟାରେ ବୈଠକ ବସିଛି । ସେପଟେ ଲିଙ୍ଗରାଜ ମନ୍ଦିରର ଉଭୟ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ କର୍ମକର୍ତାଙ୍କ ସହ ପୃଥକ ଭାବେ ଆଲୋଚନା କରିବେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ୱାଇଁ। ଉଭୟ ବୈଠକ ଉପରେ ନିର୍ଭର କରୁଛି ଦେଵ ଦମ୍ପତ୍ତିଙ୍କ ବିବାହ ଓ ଶୀତଳଷଷ୍ଠୀ ଯାତ୍ରା ।