ଟୋରୀ ସଦସ୍ୟଙ୍କ ଡାକ ଭୋଟ ସହ ଆରମ୍ଭ ହେଲା ବ୍ରିଟିଶ ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରକ୍ରିୟା

0
575

ଲଣ୍ଡନ : ବ୍ରିଟେନ କଞ୍ଜରଭେଟିବ ପାର୍ଟିର ନେତା ନିର୍ବାଚନ ଲାଗି ସୋମବାର ଔପଚାରିକ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଟୋରୀ ସଦସ୍ୟଙ୍କ ଡାକ ଭୋଟ ସହ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିରେ ପ୍ରଧାନମନ୍ତ୍ରୀ ଦୌଡରେ ଥିବା ଭାରତୀୟ ବଂଶୋଦ୍ଭବ ଋଷି ସୁନକ ତାଙ୍କ ଶୁଳ୍କ ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି। ଯଦି ସେ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୁଅନ୍ତି ତେବେ କିଛି ବର୍ଷରେ ଆୟକର ମୂଳ ହାରରେ ୨୦ ପ୍ରତିଶତ ପର୍ଯ୍ୟନ୍ତ କାଟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଜନମତ ସର୍ଭେକ୍ଷଣରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଲିଜ୍ ଟ୍ରସ୍‌ଙ୍କ ପଛରେ ଚାଲୁଥିବା ୪୨ ବର୍ଷୀୟ ପୂର୍ବତନ ଚାନ୍ସଲର ସୁନକ ତାଙ୍କର ଏପରି ନିଷ୍ପତ୍ତିର ଅର୍ଥ ୩୦ ବର୍ଷରେ ଆୟକରରେ ସବୁଠୁ ଅଧିକ ୨୦ ପ୍ରତିଶତ ହ୍ରାସ ହେବ ବୋଲି କହିଛନ୍ତି। ତାଙ୍କ ନିର୍ବାଚନ ପ୍ରଚାରରେ ଶୁଳ୍କ କାଟ ଏବେ ପ୍ରମୁଖ ପ୍ରସଙ୍ଗ ପାଲଟିଯାଇଛି। ଟ୍ରସ୍ ମଧ୍ୟ ପ୍ରଥମ ଦିନରୁ ରିହାତିର ପ୍ରତିଶ୍ରୁତି ଦେଇଆସୁଛନ୍ତି ହେଲେ ବୃଦ୍ଧି ପାଉଥିବା ମୁଦ୍ରାସ୍ପିତିକୁ ନିୟନ୍ତ୍ରିତ କରିବା ପାଇଁ ଅଧିକ ସନ୍ତୁଳିତ ଦୃଷ୍ଟିକୋଣ ଉପରେ ଧ୍ୟାନ କେନ୍ଦ୍ରିତ କରିବେ ବୋଲି କହିଛନ୍ତି ସୁନକ।

ମାର୍ଗାରେଟ ଥାଚରଙ୍କ ସରକାର ପରେ ଏହା ତାଙ୍କର ସର୍ବ ବୃହତ୍ତ ଆୟକର ହ୍ରାସର ପ୍ରତିଶ୍ରୁତି ବୋଲି ସୁନକ କହିଛନ୍ତି। ଏହା କଡା ଆଭିମୁଖ୍ୟ, ହେଲେବି ଏହା ଯଥାର୍ଥବାଦୀ ବୋଲି ସେ କହିଛନ୍ତି। ତେବେ ୫ ସେପ୍ଟେମ୍ବରରେ ଋଷି ସୁନକ ଟୋରୀ ନେତା ଓ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବେ ବୋଲି ତାଙ୍କ ପ୍ରଚାର ଟିମ୍‌ର ସଦସ୍ୟମାନେ ଆଶାବ୍ୟକ୍ତ କରିଛନ୍ତି। ଯଦି ଏହି ନିର୍ବାଚନ ସେ ଜିତି ଯାଆନ୍ତି ତେବେ ମୁଦ୍ରାସ୍ପିତି ମୁକାବିଲା ତାଙ୍କ ଲାଗି ବଡ଼ ଆହ୍ୱାନ ହେବ।

Also Read  ମିସ୍‌ ୟୁନିଭର୍ସ-୨୦୨୧ ଟାଇଟଲ୍‌ : ୨୧ ବର୍ଷ ପରେ ଭାରତର କିଏ ମୁକୁଟ ହାସଲ କଲେ ?