ଧୁମ୍ ଷ୍ଟାଇଲରେ ସ୍କୁଲରୁ ଚୋରି କରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଲା ଚୋର; କଳାପଟାରେ ଲେଖିଲା “IT’S ME ଧରିପାରିଲେ ଧର”

0
540
thief-openly-challenged-the-police-after-stealing-from-the-school in nabarangpur

ନବରଙ୍ଗପୁର: ସ୍କୁଲରୁ ଚୋରି କରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଲା ଚୋର । ଚୋରି କରିବା ପରେ କଳାପଟାରେ ଚୋର ଲେଖିଲା ‘IT’S ME , ଧୁମ-୪, କମିଙ୍ଗ୍ ଶୁନ୍ “ସ୍କୁଲ ପିଲା, ଧରିପାରିଲେ ଧର ” । ଏପରି ଚୋରି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳରେ ଘଟିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚୋରମାନେ ୩ଟି ମୋବାଇଲ୍‌ ନମ୍ୱର ଲେଖି ଯାଇଛନ୍ତି। ଯେଉଁଥିରେ ଜଣେ ସ୍କୁଲର ଶିକ୍ଷକଙ୍କ ମୋବାଇଲ ନମ୍ୱର ଥିବା ବେଳେ ଅନ୍ୟ ଦୁଇଟି କାହାର ଜଣାପଡ଼ି ନାହିଁ। ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ମାଧ୍ୟମରେ ଘଟଣାର ତଦନ୍ତ ଚଳାଇଛି।

ସୂଚନା ଅନୁସାରେ, ଖାତିଗୁଡ଼ା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ଗତ ଶୁକ୍ରବାର ରଥଯାତ୍ରା ପାଇଁ ଛୁଟି ଥିଲା । ହେଲେ ଶନିବାର ସ୍କୁଲ ଫାଟକ ଖୋଲିବା ବେଳେ ବିଦ୍ୟାଳୟର ମୁଖ୍ୟ ଫାଟକର ଚାବି ଭଙ୍ଗା ହୋଇଥିବା ଦେଖିବାକୁ ମିଳିଥିଲା । ଏମିତିକି ପ୍ରଧାନଶିକ୍ଷକଙ୍କ କକ୍ଷରେ ଥିବା ଦୁଇଟି ତାଲା ଭାଙ୍ଗି କମ୍ପ୍ୟୁଟର, ଜେରକ୍ସ ମେସିନ୍, ଏବଂ ସାଉଣ୍ଡ ବକ୍ସ ଆଦି ଅନେକ ସାମଗ୍ରୀ ଚୋରି କରିଥିଲେ । ଚୋରି ହୋଇଥିବା କମ୍ପ୍ୟୁଟରରେ ପରୀକ୍ଷା ସମ୍ବନ୍ଧୀୟ ତଥ୍ୟ ସହ ସ୍କୁଲ ଛାତ୍ର ଛାତ୍ରୀଙ୍କ ବିଭିନ୍ନ ଗରୁତ୍ବପୂର୍ଣ୍ଣ ତଥ୍ୟ ରହିଥିଲା । ଚୋରି କରି ଚମ୍ପଟ ମାରିବା ପୂର୍ବରୁ ପୋଲିସ ତଥା ସ୍କୁଲ କର୍ତ୍ତୃପକ୍ଷଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଦୁର୍ବୃର୍ତ୍ତ । ଏମିତିକି ବ୍ଲାକ ବୋର୍ଡରେ କିଛି ମୋବାଇଲ ନମ୍ୱର୍ ଲେଖିଯାଇଛନ୍ତି ଦୁର୍ବୃର୍ତ୍ତ। ଯେଉଁଥିରେ ସ୍କୁଲ ଶିକ୍ଷକଙ୍କ ନମ୍ୱର ମଧ୍ୟ ରହିଛି । ରଥଯାତ୍ରା ପାଇଁ ସ୍କୁଲ ଛୁଟି ଥିବାରୁ ଶନିବାର ସକାଳେ ସ୍କୁଲ ଖୋଲିବା ବେଳକୁ ଚୋରି ହୋଇଥିବା ଜଣାପଡ଼ିଥିଲା । ଖାତିଗୁଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଏହାସହ ସାଇଣ୍ଟିଫିକ ଟିମ ଓ ପୋଲିସ ସନ୍ଧାନୀ କୁକୁରର ସାହାଯ୍ୟ ନେଇ ତଦନ୍ତ ଜାରିରଖିଛି ପୋଲିସ ।

Also Read  No Impact on Odisha by upcoming Cyclone Kyant: MeT Office