ଭୁବନେଶ୍ୱର: ଓଡିଆରେ କଥା ଅଛି ‘ବାର ମାସରେ ତେର ପର୍ବ’ ଅର୍ଥାତ କାଳ ତୁଳନାରେ ଅନେକ ପର୍ବପର୍ବାଣି ଓଡିଶାରେ ଅନୁଷ୍ଠିତ ହୁଏ । ଉତ୍କଳର ପର୍ବପର୍ବାଣି ଗୁଡିକ ସାଧାରଣତଃ ଧର୍ମ ଓ ପୌରାଣିକ ଉପାଖ୍ୟାନ ଉପରେ ପ୍ରତିଷ୍ଠିତ । ଉତ୍କଳୀୟମାନେ ପର୍ବପର୍ବାଣିକୁ ବହୁତ ଆନନ୍ଦ ସହକାରେ ପାଳନ କରନ୍ତି ।
ପଣାସଂକ୍ରାନ୍ତିକୁ ମଦାବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଏ । ପଣାସଂକ୍ରାନ୍ତିକୁ ଓଡିଆ ନବବର୍ଷ ଭାବରେ ମଧ୍ୟ ପାଳନ କରାଯାଏ । ଏହା ସଧାରଣତଃ ଅପ୍ରେଲ ୧୪ ତାରିଖରେ ପଡେ । ଏହି ଦିନ ଠାରୁ ବସନ୍ତ ଋତୁୁର ଶେଷ ଓ ଗ୍ରୀଷ୍ମର ଆରମ୍ବ ହୋଇଥାଏ । ଏହି ଦିନରେ କେତେକେ ବିଶିଷ୍ଟ ସ୍ଥାନରେ ଛାମୁ ଯାତ୍ରା ମଧ୍ୟ ହୋଇଥାଏ ।
ଏହି ଦିନ ଏକ ଛୋଟ ମାଠିଆରେ ପଣା ରଖି ତୁଳସୀ ଚଉରା ମୂଳରେ ବାନ୍ଧିଦିଆଯାଏ । ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଇଥାଏ ଏହି ଠେକିକୁ ବସୁନ୍ଧରା ଠେକି କହାଯାଏ । ଛତୁଆ, ଦହି, ଗୁଡ଼, କଦଳୀ ଓ ନଡିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଏ । ବେଲ ପଣାରେ ବଟା ଭାଙ୍ଗ ମିଶାଇ ଭାଙ୍ଗ ପଣା ସେବନ ମଧ୍ୟ କରାଯାଇଥାଏ ।
ଚଣ୍ଡୀ, ସାରଳା, ବିରଜା ଆଦି ଠାକୁରାଣୀ ମନ୍ଦିରମାନଙ୍କରେ ଏହି ଦିନ ଝାମୁ ଯାତ ପାଳନ କରାଯାଏ । ଘଣ୍ଟ ପାଟୁଆମାନେ ଘଣ୍ଟ ମୁଣ୍ଡେଇ, କାଠ ଗୋଡ଼ ପିନ୍ଧି ଠାକୁରାଣୀ ମନ୍ଦିର ଆଗରେ ନିଆଁ ଉପରେ ଚାଲିବାର ପ୍ରଥା ରହିଛି । ଦକ୍ଷିଣ ଓଡ଼ିଶାରେ ମାସାଧିକ କାଳ ଧରି ଚାଲିଥିବା ଦଣ୍ଡ ନାଟର ଅନ୍ତ ଭାବେ ଏହି ଦିନ ମେରୁ ଯାତ ପାଳନ କରାଯାଏ । ଲୋକେ ବେଲ ପଣା ଓ ଛତୁଆ ସହ ଏହାକୁ ପାଳନ କରନ୍ତି । ଉତ୍ତର ଓଡ଼ିଶାରେ ଏହି ଦିନକୁ ଚଡ଼କପର୍ବ ନାମରେ ପାଳନ କରାଯାଏ ।
ଏହି ସମୟରେ ସୂର୍ଯ୍ୟକିରଣ ବୃଦ୍ଧି ହେବା ସହ ହଜମ କ୍ରିୟା ମଧ୍ୟ ବୃଦ୍ଧି ପାଇଥାଏ । ଶରୀରର ଅତ୍ୟଧିକ ତାପକୁ ସମ ଅବସ୍ଥାକୁ ଆଣିବା ପାଇ ପଣାପାନର ବ୍ୟବସ୍ଥା ରହିଥାଏ । ତେଣୁ ମହାବିଷୁୁବ ସଂକ୍ରାନ୍ତି ଦିନରେ ବିଜିନ୍ନ ଦେବାବେଦୀ ଓ ମନ୍ଦିର ମାନଙ୍କରେ ପଣାପାନର ବ୍ୟବସ୍ଥା ରହିଛି । ପଣାସଂକ୍ରାନ୍ତି ଠାରୁ ରାସ୍ତା କଡରେ ପଥିକ ମାନଙ୍କ ପାଇଁ ଜଳଛତ୍ର ମଧ୍ୟ ଖୋଲାଯାଏ । ଏହା ସହିତ ବୃକ୍ଷମୂଳରେ ଜଳଦାନର ପ୍ରଥା ମଧ୍ୟ ଆମ ସମାଜରେ ପ୍ରଚଳିତା ସେଥିପାଇଁ ହିନ୍ଦୁ ପରିବାରେ ଚଉଁରାରେ ପୂଜା ପାଉଥିବା ତୁଳସୀ ବୃକ୍ଷ ଉପରେ ଛାମୁଡିଆ କରି ମାଠିଆରେ ଜଳରଖି ଜଳଦାନ କରାଯାଇଥାଏ ।
ଏହି ସଂକ୍ରାନ୍ତି ପରଠାରୁ ବୃକ୍ଷ ଓ ଜୀବଜଗତକୁ ଜଳପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିର ଅନ୍ୟ ନାମ ଜଳସଂକ୍ରାନ୍ତି ମଧ୍ୟ କୁହାଯାଏ । ଏହି ସଂକ୍ରାନ୍ତି ପରଠାରୁ ବାୟୁର ଗତି ପ୍ରଖର ହୋଇଥାଏ । ଉଭୟ ବାୟୁୁ ଓ ଅଗ୍ନିିର ପ୍ରକୋପରୁ ରକ୍ଷା ପାଇବା ପାଇଁ ଏହି ସମୟରେ ହନୁମାନ ଜୟନ୍ତୀ ପାଳନ କରାଯାଏ । ବିଭିନ୍ନ ଦୃଷ୍ଟିରୁ ବିଚାର କଲେ ଜଣାଯାଏ ଯେ ମହାବିଷୁବ ସଂକ୍ରାନ୍ତି ଓଡିଶାର ଏକ ବିଶିଷ୍ଟ ପର୍ବ । ଏହି ପର୍ବ ଆମର ସାମାଜିକ, ଆଧ୍ୟାତ୍ମିକ ଓ ପାରିବାରିକ ଭିତ୍ତିଭୂମିକୁ ସୃଦୃଢ କରେ ।