ବୀଣାପାଣିଙ୍କ ବିୟୋଗ: ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟପାଳ

0
208

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକା ତଥା ଓଡ଼ିଆ ସାହିତ୍ୟର ପାଟଦେଇ ବୀଣାପାଣି ମହାନ୍ତିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ଅନେକ ରାଜନେତା ଶୋକ ପ୍ରକାଶ କରିଛନ୍ତି । ରବିବାର ସଂଧ୍ୟାରେ ବୀଣାପାଣି ସମସ୍ତଙ୍କୁ ପର କରି ଅଫେରା ରାଇଜକୁ ଚାଲିଯାଇଛନ୍ତି ।

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବୀଣାପାଣିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଲେଖିଛନ୍ତି, ଖ୍ୟାତନାମା ଲେଖିକା ବୀଣାପାଣି ମହାନ୍ତିଙ୍କ ଦେହାନ୍ତ ଖବର ଶୁଣି ଦୁଃଖିତ । ଓଡ଼ିଆ ସାହିତ୍ୟ ବିଶେଷ ଭାବରେ ଗଳ୍ପ ଓ ଉପନ୍ୟାସ ରଚନା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ । ଅନ୍ୟ ଭାଷାରେ ଅନୁବାଦିତ ତାଙ୍କର ସୃଷ୍ଟି ବେଶ୍ ଲୋକପ୍ରିୟତା ହାସଲ କରିଛି । ତାଙ୍କର ପରିବାର ଓ ପ୍ରଶଂସକଙ୍କୁ ସମବେଦନା ।

ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ଟ୍ୱିଟ୍ କରି ବିଶିଷ୍ଟ ଲେଖିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି। ଓଡ଼ିଆ ସାହିତ୍ୟକୁ ସେ ବହୁ ଭାବରେ ସମୃଦ୍ଧ କରିଛନ୍ତି ଏବଂ ତାଙ୍କର ସୃଷ୍ଟି ମାଧ୍ୟମରେ ସେ ଚିର ସ୍ମରଣୀୟ ରହିବେ ବୋଲି କହିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ବାର୍ତ୍ତାରେ କହିଛନ୍ତି, ସ୍ୱର୍ଗତ ବୀଣାପାଣି ମହାନ୍ତି ତାଙ୍କ ଗଳ୍ପ ଓ ଉପନ୍ୟାସ ରେ ନାରୀ ଜୀବନର ସଂଘର୍ଷକୁ ସଫଳତାର ସହ ଉପସ୍ଥାପନା କରିଯାଇଛନ୍ତି.. ତାଙ୍କର କାଳଜୟୀ ରଚନା ନାରୀ ସଶକ୍ତିକରଣ ପାଇଁ ସବୁବେଳେ ପ୍ରେରଣା ଯୋଗାଇ ଚାଲିବ । ବୀଣାପାଣି ମହାନ୍ତିଙ୍କ ବିୟୋଗ ଓଡ଼ିଆ ସାରସ୍ୱତ ଜଗତରେ ଏକ ବିରାଟ ଶୂନ୍ୟତା ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦଗତି କାମନା କରିଛନ୍ତି । ଏଥିସହ ସ୍ୱର୍ଗତ ବୀଣାପାଣି ମହାନ୍ତିଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନ ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଲେଖିଛନ୍ତି, ଓଡ଼ିଶାର ପ୍ରଖ୍ୟାତ କଥାଶିଳ୍ପୀ ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ନିଜର ଉତ୍କୃଷ୍ଟ ଗଳ୍ପ ଓ ଉପନ୍ୟାସ ପାଇଁ ସେ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ି ଜଗନ୍ନାଥ ଦାସ, ସାହିତ୍ୟ ଏକାଡ଼େମୀ ଏବଂ ସାରଳା ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

ତାଙ୍କର ଅନେକ କ୍ଷୁଦ୍ରଗଳ୍ପ ଇଂରାଜୀ, ହିନ୍ଦି ଭାଷା ସମେତ ଅନେକ ଆଞ୍ଚଳିକ ଭାଷାରେ ଅନୁବାଦିତ ହୋଇ ପାଠକଙ୍କ ଦ୍ବାରା ଆଦୃତ ହୋଇପାରିଛି । ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିବାରେ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇରହିବ । ତାଙ୍କ ବିୟୋଗରେ ଓଡ଼ିଶା ଜଣେ ଉଚ୍ଚକୋଟିର ସାହିତ୍ୟିକାଙ୍କୁ ହରାଇଲା । ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି।

Also Read  ଅଶାନ୍ତ ରାଜଧାନୀ, ଭୁବନେଶ୍ୱର ଜଗନ୍ନାଥ ନଗରରେ ବୋମା ମାଡ଼

LEAVE A REPLY

Please enter your comment!
Please enter your name here