ଓମିକ୍ରନ ସହ କରୋନା ଶେଷ ହେବ ନାହିଁ : ଆସିପାରେ ନୂଆ ଭାରିଏଣ୍ଟ

0
539
ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଟେଡ୍‌ରସ୍‌ ଆଧନୋମ୍‌ ଗେବ୍ରେୟେସସ୍‌
ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଟେଡ୍‌ରସ୍‌ ଆଧନୋମ୍‌ ଗେବ୍ରେୟେସସ୍‌

ନୂଆଦିଲ୍ଲୀ: ଓମିକ୍ରନ ଭାରିଏଣ୍ଟ ସହ କରୋନା ଶେଷ ହୋଇଯିବ ବୋଲି ଆକଳନ ହେଉଥିଲା। କିନ୍ତୁ ଏହି ସମ୍ଭାବନା ଏବେ ନିକଟରେ ନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଆଧନୋମ୍‌ ଗେବ୍ରେୟେସସ୍‌ଙ୍କ ବୟାନ ପରେ ଏହା ଜଣାପଡିଛି । କରୋନା ଶେଷ ହେବ ନାହିଁ । ଓମିକ୍ରନ ପରେ ନୂଆ ଭାରିଏଣ୍ଟ ଆସିବ। କିନ୍ତୁ ଏହାର ଗୋଟିଏ ଦିନ ପୂର୍ବରୁ ଆଇସିଏମ୍‌ଆର୍‌ର ବରିଷ୍ଠ ଗବେଷକ ଡାକ୍ତର ସମୀରନ୍‌ ପଣ୍ଡା କହିଥିଲେ, ଯଦି ସ୍ଥାନୀୟ ସଂକ୍ରମଣ କମିବ ତା’ହେଲେ ମାର୍ଚ୍ଚ ୧୧ ପରେ ଶେଷ ହେବା ସମ୍ଭାବନା ରିହଛି।

ଟେଡ୍ରୋସ ଆହୁରି କହିଛନ୍ତି, ଅନେକ ଦେଶରେ କରୋନାର ଘାତାକ ପର୍ଯ୍ୟାୟ ଶେଷ ହୋଇଗଲାଣି । କିନ୍ତୁ ଟିକାକରଣକୁ ଜୋରଦାର କରିବା ଦରକାର । କାରଣ ଟିକାକରଣ କମ୍ ହୋଇଥିଲେ ବା ଅନ୍ୟ ଅର୍ଥରେ କହିବାକୁ ଗଲେ ଟିକା ନେଇନଥିଲେ କରୋନାର ବିପଦ ରହିଛି। ଆମେରିକାରେ ଏବେ ଦୈନିକ ସଂକ୍ରମଣ ୫.୪୬ ଲକ୍ଷ ରେକର୍ଡ ହୋଇଥିବା ବେଳେ ୧,୭୨୦ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ବ୍ରାଜିଲରେ ୧.୩୨ ଲକ୍ଷ ରହିଛି । ଯଦି ସମଗ୍ର ଦୁନିଆର ହିସାବକୁ ଦେଖିବା ତାହେଲେ ଏବେ ବିଶ୍ୱରେ ଗୋଟିଏ ଦିନରେ ୩୦ ଲକ୍ଷରୁ ଅଧିକ କରୋନାରେ ସଂକ୍ରମିତ ହେଉଥିବା ବେଳେ ୮ ହଜାରରୁ ଅଧିକ ପ୍ରାଣ ହରାଉଛନ୍ତି ।

ଟେଡ୍ରୋସ ଆହୁରି କହିଛନ୍ତି, ଏବେ ସାରା ବିଶ୍ୱରେ ଓମିକ୍ରନ୍‌ ପାଇଁ ହସ୍ପିଟାଲରେ ଆକ୍ରାନ୍ତଙ୍କ ଭର୍ତ୍ତି ହେବା ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ଆମେରିକାର ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ଅଧିକାରୀ ଡାକ୍ତର ଫୌସୀ କହିଛନ୍ତି, ଓମିକ୍ରନର କରୋନାର ଶେଷ ଭାରିଏଣ୍ଟ ବୋଲି କହିବା ଏବେ ସ୍ଥିତିରେ ଭୁଲ ହେବ । କାରଣ ଟିକାକୁ ଚକମା ଦେଇ ଆହୁରି ଅନେକ କରୋନା ଭାରିଏଣ୍ଟ ଆସିପାରେ ।

ସୂଚନାଯୋଗ୍ୟ, ଦେଶରେ କରୋନା ୮ ମାସର ରେକର୍ଡ ଭାଙ୍ଗିଛି। ୮ ମାସ ପରେ ବୁଧବାର ୩ ଲକ୍ଷରୁ ଅଧିକ ପଜିଟିଭ ମାମଲା ସାମନାକୁ ଆସିଛି। ଦେଶରେ ଦିନକରେ ୩,୧୭,୫୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ଗତ ୧୫ ମେ’ରେ ୩ ଲକ୍ଷରୁ ଅଧିକ ମାମଲା ସାମନାକୁ ଆସିଥିଲା। ତୃତୀୟ ଲହରରେ ପ୍ରଥମ ଥର ପାଇଁ ଦୈନିକ ମାମଲା ୩ ଲକ୍ଷ ପାର କରିଛି।

କରୋନାର ତୃତୀୟ ଲହର ଆସିବା ପରଠୁ ଏହି ଅଙ୍କ ଛୁଇଁବାକୁ କେବଳ ୨୩ ଦିନ ଲାଗିଥିଲା। କିନ୍ତୁ ଦ୍ୱିତୀୟ ଲହରରେ ଏହି ଅଙ୍କ ଛୁଇଁବାକୁ ପ୍ରାୟ ୬୦ ଦିନ ଲାଗି ଯାଇଥିଲା। ଗତକାଲିଠାରୁ ୩୪,୫୬୨ ଜଣ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେଶରେ ଦୈନିକ ପଜିଟିଭିଟି ହାର ୧୬.୪୧% । ଦେଶରେ ଦିନକରେ ୪୯୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଦେଶରେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୭ ହଜାର ୬୯୩କୁ ବୃଦ୍ଧି ପାଇଛି। ଆକ୍ଟିଭ କେସ୍‌ ୧୯,୨୪,୦୫୧ ଥିବା ବେଳେ ସୁସ୍ଥ ହେଲେଣି ୩,୫୮,୦୭,୦୨୯ ।

Also Read  ‘Mo Maa Mo Prerana’, Authored By Dr Achyuta Samanta Released by Former Odisha Governor Prof. Ganeshi Lal

ବୁଧବାର ଏହି ମାମଲା ୩ ଲକ୍ଷ ପାର କରିଥିବା ବେଳେ ଏହା ପୂର୍ବ ସପ୍ତାହ ତୁଳନାରେ ୨୭% ଅଧିକ ରହିଛି। ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩.୮ କୋଟି ଛୁଇଁଥିବା ବେଳେ ଆକ୍ଟିଭ କେସ୍‌ ସଂଖ୍ୟା ୧୮.୯ ଲକ୍ଷ ପାର୍‌ କରି ସାରିଛି।