କୂଅ ଭିତରୁ ୫ ମୃତ ଦେହ ଉଦ୍ଧାର, ମୃତକଙ୍କ ମଧ୍ୟରେ ୩ ଭଉଣୀ ଓ ଦୁଇ ଛୋଟ ଛୁଆ

0
421

ଜୟପୁର:ଗୋଟିଏ କୂଅରୁ ୩ ଭଉଣୀ ଓ ୨ ଶିଶୁଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହି ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ତିନି ଜଣ ମହିଳା ସମ୍ପର୍କରେ ଭଉଣୀ । ଗୋଟିଏ ଘରୁ ତିନି ଜଣ ବିବାହ କରିଥିଲେ। ସ୍ୱାମୀଙ୍କ ଦ୍ୱାରା ନିର୍ଯାତନାର ଶିକାର ଏବଂ ଯୌତୁକ ପାଇଁ ଏହି ତିନି ମହିଳା ଆତ୍ମହତ୍ୟା କରିଥିବା ସୂଚନା ରହିଛି। ରାଜସ୍ଥାନ ଜୟପୁରର ଦୁଦୁ ଥାନାରେ ଏହି ଘଟଣା ଘଟିଛି।

ଜୟପୁର ଜିଲ୍ଲାର ଦୁଦୁ ଥାନା ଅନ୍ତର୍ଗତ ଚାପିଆ ଗାଁର ମହିଳା କାଳୁ ମୀନା (୨୫), ମମତା (୨୩) ଓ କମଲେଶ (୨୦) ଗୋଟିଏ ପରିବାରର ତିନି ଭାଇଙ୍କୁ ବିବାହ କରିଥିଲେ। ଦୁଦୁ ଥାନା ପୁଲିସ ଓ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ୩ ଜଣ ମହିଳା ଓ ଦୁଇ ଶିଶୁଙ୍କ ମୃତଦେହକୁ କୂଅରୁ ବାହାର କରିଥିଲେ । ଦୁଇ ଛୁଆଙ୍କ ମଧ୍ୟରୁ ଜଣେ ୪ ବର୍ଷର ଝିଅ ଏବଂ ଅନ୍ୟଜଣେ ୨୬ ଦିନର ନବଜାତ ରହିଛି।

ଯୌତୁକ ପାଇଁ ଶାଶୁଘର ଲୋକେ ତାଙ୍କୁ ନିୟମିତ ନିର୍ଯାତନା ଦେବା ସହ ମାଡ଼ ମଧ୍ୟ ମାରୁଥିଲେ ବୋଲି ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଯୌତୁକ ପାଇଁ ମୋର ଭଉଣୀମାନଙ୍କୁ ନିୟମିତ ମାଡ଼ ମାରିବା ସହ ନିର୍ୟାତନା ଦିଆଯାଉଥିଲା ବୋଲି ମୃତକଙ୍କ ସମ୍ପର୍କୀୟ ହେମରାଜ ମୀନା କହିଛନ୍ତି ।

ମେ ୨୫ରେ ଏହି ତିନି ମହିଳା ଘରୁ ବାହାରି ପଳାଇ ଆସିଥିଲେ। ଏ ନେଇ ସ୍ଥାନୀୟ ପୋଲିସ ଷ୍ଟେସନରେ, ମହିଳା ହେଲ୍ପ ଲାଇନ ଏବଂ ଜାତୀୟ ମହିଳା ଆୟୋଗରେ ଏଫଆଇଆର ରୁଜୁ ହୋଇଥିଲା ବୋଲି ମୀନା କହିଛନ୍ତି।

ଯଦିଓ ମହିଳାଙ୍କ ପାଖରୁ କୌଣସି ସୁଇସାଇଡାଲ ନୋଟ୍ ମିଳିନି ହେଲେ ମୃତକଙ୍କ ମଧ୍ୟରୁ ଜଣଙ୍କ ମୋବାଇଲର ହ୍ୱାଟସଆପ ଷ୍ଟାଟସରେ ହିନ୍ଦୀରେ ଲେଖିଛନ୍ତି, ‘ଆମେ ବର୍ତ୍ତମାନ ଯାଉଛୁ, ଖୁସିରେ ରୁହନ୍ତୁ, ଆମର ମୃତ୍ୟୁର କାରଣ ଆମର ଶ୍ୱଶ୍ୱର ଘର । ପ୍ରତିଦିନ ଏଠାରେ ମରିବା ଅପେକ୍ଷା ଥରେ ମରିଯିବା ଭଲ। ତେଣୁ ଆମେ ଏକାଠି ମରିବାକୁ ନିଷ୍ପତ୍ତି ନେଇଛୁ। ଆମେ ଆଶା କରୁଛୁ, ଆମେ ତିନି ଜଣ ପରବର୍ତ୍ତୀ ଜୀବନରେ ଏକାଠି ହେବୁ। ଆମେ ମରିବାକୁ ଚାହୁଁନାହୁଁ କିନ୍ତୁ ଆମ ଶ୍ୱଶୁର ଘର ଲୋକେ ଆମକୁ ହଇରାଣ କରନ୍ତି। ଆମ ମୃତ୍ୟୁ ପାଇଁ ଆମ ବାପା ମା’ଙ୍କୁ ଦୋଷ ଦିଅ ନାହିଁ’।

ମହିଳାମାନେ ନିଖୋଜ ହେବାର ୪ ଦିନ ପରେ ଶନିବାର ସକାଳେ ଦୁଦୁ ଗାଁର ଏକ କୂଅରୁ ପୁଲିସ ତିନି ଜଣଙ୍କ ମୃତଦେହ ଓ ଦୁଇ ଶିଶୁଙ୍କ ମୃତ ଦେହ ଉଦ୍ଧାର କରିଛି। ତେବେ ପୋଲିସ ଏବେ ମହିଳାଙ୍କ ସ୍ୱାମୀ ଏବଂ ଶ୍ୱଶୁରଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିଛି। ଏହି ହତ୍ୟାକାଣ୍ଡରେ ସଂପୃକ୍ତ ତିନି ସ୍ୱାମୀ, ଶାଶୂ ଓ ପରିବାରର ଅନ୍ୟ ସଦସ୍ୟଙ୍କୁ ପୁଲିସ ପଚରାଉଚରା କରୁଛି।

Also Read  ପତି ଓ ପତ୍ନୀ ପରସ୍ପର ବିରୋଧରେ ନାମାଙ୍କନପତ୍ର ଦାଖଲକୁ ନେଇ ଚର୍ଚ୍ଚା