ଚାରି ଧାମ ପ୍ରକଳ୍ପକୁ ସୁପ୍ରିମକୋର୍ଟଙ୍କ ଗ୍ରୀନ ସିଗ୍ନାଲ : ସଡ଼କ ପ୍ରଶସ୍ତିକରଣ ପାଇଁ ଅନୁମତି

0
692
ଏବେ ଚଉଡ଼ା ହେବ ରାସ୍ତା
ଏବେ ଚଉଡ଼ା ହେବ ରାସ୍ତା

ନୂଆଦିଲ୍ଲୀ: ବହୁ ବାଦ ବିବାଦ ପରେ ସୁପ୍ରିମକୋର୍ଟ ଚାରି ଧାମ ପ୍ରକଳ୍ପ ଅଧୀନରେ ରାସ୍ତା ଚଉଡ଼ା ପାଇଁ କରାଯାଉଥିବା ଉଦ୍ୟମକୁ ସବୁଜ ସଙ୍କେତ ଦେଇଛନ୍ତି। ପ୍ରତିରକ୍ଷା ରଣନୀତି ଦୃଷ୍ଟି କୋଣରୁ ଚାରି ଧାମ ରାସ୍ତା ଚଉଡ଼ା କରିବାର ଆବଶ୍ୟକ ରହିଛି ବୋଲି କେନ୍ଦ୍ର ସରକାର ଯୁକ୍ତି ଉପସ୍ଥାପନ କରିଥିଲେ। ଏହାକୁ ସୁପ୍ରିମକୋର୍ଟ ଗ୍ରହଣ କରି ପ୍ରକଳ୍ପ କାମକୁ ଅନୁମତି ଦେଇଛନ୍ତି।

ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ ବିକ୍ରମ ନାଥଙ୍କ ଖଣ୍ଡପୀଠ କହିଛନ୍ତି, ସୀମା ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଜରୁରୀ। ବିଗତ ସମୟରେ ଜାତୀୟ ସୁରକ୍ଷାକୁ ନେଇ ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜର ମୁକାବିଲା ପାଇଁ ସେନା ଯବାନ ଓ ବିଭିନ୍ନ ସାମଗ୍ରୀର ଗତିବିଧି ଠିକ ଭାବେ ହେବା ଦରକାର। ପ୍ରତିରକ୍ଷା ମନ୍ତ୍ରଣାଳୟ ଏ ସବୁ ଉପରେ ପାରଙ୍ଗମ ଓ ଆବଶ୍ୟକ ଅପେରସନ ଉପରେ ନିଷ୍ପତ୍ତି ନେବାକୁ ସକ୍ଷମ।

ସୀମାର ସୁରକ୍ଷା ପାଇଁ ଆର୍ମ ଫୋର୍ସର ଭିତ୍ତିଭୂମି ସୁଦୃଢ଼ ହେବା ଦରକାର। ପ୍ରତିରକ୍ଷା ରଣନୀତି ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଥିବା ଜାତୀୟ ରାଜପଥକୁ କେବେ ହେଲେ ଅନ୍ୟ ପାହାଡ଼ିଆ ଅଞ୍ଚଳର ଭିତ୍ତିଭୂମି ସହ ତୁଳନା କରାଯାଇ ପାରିବ ନାହିଁ। ନ୍ୟାୟିକ ସମୀକ୍ଷାରେ ସେନାର ସୁରକ୍ଷା ଭିତ୍ତିଭୂମିକୁ ଅଦାଲତ ସ୍ଥିର କରିପାରିବେ ନାହିଁ।

ଜାତୀୟ ରାଜପଥ ପାଇଁ ରାସ୍ତାର ଚଉଡ଼ା ବୃଦ୍ଧି କରିବା ପଛରେ ପ୍ରତିରକ୍ଷା ମନ୍ତ୍ରଣାଳୟର କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ। ଅଦାଲତ କେବେ ହେଲେ ସଶସ୍ତ୍ର ବାହିନୀର ଭିତ୍ତିଭୂମି ଆବଶ୍ୟକତାକୁ ନେଇ କୌଣସି ପ୍ରକାରର ପଦକ୍ଷେପ ନେଇ ପାରିବେ ନାହିଁ। ପରିବେଶର ସ୍ୱାର୍ଥକୁ ଦୃଷ୍ଟିରୁ ସମସ୍ତ ବ୍ୟବସ୍ଥା କରାଯାଇ ପାରିବ ବୋଲି ଖଣ୍ଡପୀଠ କହିଛନ୍ତି।

ଶୁଣାଣି ବେଳେ ସୁପ୍ରିମକୋର୍ଟ ଆବେଦନକାରୀ ପରିବେଶ ସୁରକ୍ଷା ନେଇ ଉଠାଇଥିବା ପ୍ରଶ୍ନକୁ ମଧ୍ୟ ଗୁରୁତ୍ୱର ସହ ନେଇଥିଲେ। ପରିବେଶର ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରକଳ୍ପ କାମ କରିବା ପାଇଁ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ଜଜ୍ ଜଷ୍ଟିସ୍ ଏକେ ସିକ୍ରିଙ୍କ ନେତୃତ୍ୱରେ ଗୋଟିଏ କମିଟି ଗଠନ କରାଯାଇଥିବା ଖଣ୍ଡପୀଠ କହିଛନ୍ତି। ଏହି କମିଟି ପ୍ରତି ୪ ମାସରେ ପ୍ରକଳ୍ପ କାମ କେତେ ବାଟ ଗଲା ତା’ର ରିପୋର୍ଟ ସୁପ୍ରିମକୋର୍ଟକୁ ଦେବେ। ଏହି କମିଟିରେ National Environmental Research Institute ଓ ପରିବେଶ ମନ୍ତ୍ରଣାଳୟ ପ୍ରତିନିଧି ରହିଛନ୍ତି।

ସୂଚନାଯୋଗ୍ୟ, ଚାରି ଧାମ ପ୍ରକଳ୍ପ ଯୋଜନାରେ ରାସ୍ତା ଚଉଡ଼ା କରିବାକୁ ଯୋଜନା ହୋଇଛି। ଏହି କାରଣରୁ ହଜାର ହଜାର ଗଛ କଟା ଯିବ। ତେଣୁ ଏହା ବିରୋଧରେ ଏକାଧିକ ଆବେଦନ ସୁପ୍ରିମକୋର୍ଟରେ ହୋଇଥିଲା। ସୁପ୍ରିମକୋର୍ଟ ୧୧ ନଭେମ୍ବରରେ ଆବେଦନ ଶୁଣାଣି କରି ସବୁ ପକ୍ଷଙ୍କୁ ଜବାବ ତଲବ କରିଥିଲେ।

Also Read  ୨୦୨୧ରେ ପ୍ରତି ମିନିଟ୍‌ରେ ୧୧୫ ଚିକେନ୍‌ ବିରିୟାନୀ ବରାଦ ଦେଇଛନ୍ତି : କେଉଁ ଦେଶରେ ଜାଣନ୍ତୁ ?

ପ୍ରାୟ ୯୦୦ କିଲୋମିଟରର ଚାରି ଧାମ ଅଲ ୱେଦର ପ୍ରକଳ୍ପରେ ରାସ୍ତାର ଚଉଡ଼ା କରାଯାଇପାରିବ କି ନାହିଁ, ତା’ର ନିଷ୍ପତ୍ତି ସୁପ୍ରିମକୋର୍ଟ ନେବାର ଥିଲା। କେନ୍ଦ୍ର ସରକାର ଶୁଣାଣି ବେଳେ କହିଥିଲେ ଯେ ଏହା ହେଉଛି ଭାରତ-ଚାଇନା ମଧ୍ୟରେ ଥିବା ଏଲଏସି ନିକଟବର୍ତ୍ତୀ ଅଞ୍ଚଳ। ତେଣୁ ଏଠାରେ ସେନାର ଗତିବିଧି ପାଇଁ ରାସ୍ତା ଚଉଡ଼ା ହେବା ଜରୁରୀ। ପ୍ରତିରକ୍ଷା ରଣନୀତିକ ଦୃଷ୍ଟି କୋଣରୁ ଏହା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ରାସ୍ତା ଚଡଡ଼ା ହେଲେ ହଜାର ହଜାର ଗଛ କଟାଯିବ ଓ ଏହାର ପ୍ରଭାବ ପରିବେଶ ଉପରେ ମଧ୍ୟ ପଡ଼ିବ ବୋଲି ଆବେଦନକାରୀ କହିଥିଲେ।

ଉତ୍ତରାଖଣ୍ଡର ସମ୍ବେଦଶୀଳନ ଅଞ୍ଚଳରେ ଏହି ପ୍ରକଳ୍ପ କାମ ଚାଲିବ। ପ୍ରକଳ୍ପ କାମ ଶେଷ ହେବା ପରେ ଏହି ରାସ୍ତା କେଦାରନାଥ, ବଦ୍ରିନାଥ, ଗାଙ୍ଗୋତ୍ରି ଏବଂ ଯମୁନୋତ୍ରି ଭଳି ୪ ଧର୍ମପୀଠକୁ ମଧ୍ୟ ସଂଯୋଗ କରିବ।