ଦ୍ବିତୀୟ ବାର ବିଷାକ୍ତ ସର୍ପାଘାତ ସତ୍ତ୍ବେ ବଞ୍ଚିଗଲେ କେରଳର ‘ସ୍ନେକ୍‌ ମାଷ୍ଟର୍‌’ ବାବା ସୁରେଶ

0
765
ବଞ୍ଚିଗଲେ କେରଳର ‘ସ୍ନେକ୍‌ ମାଷ୍ଟର୍‌’ ବାବା ସୁରେଶ
ବଞ୍ଚିଗଲେ କେରଳର ‘ସ୍ନେକ୍‌ ମାଷ୍ଟର୍‌’ ବାବା ସୁରେଶ

ତିରୁବନନ୍ତପୁରମ୍: କେରଳର ସ୍ବନାମଧନ୍ୟ ସାପ ଧରାଳି ତଥା ବନ୍ୟପ୍ରାଣୀ ସଂରକ୍ଷକ ବାବା ସୁରେଶ ପୁଣି ଥରେ ବିଷାକ୍ତ ସର୍ପ ଦଂଶନର ସରବ୍ୟ ହୋଇ ମଧ୍ୟ ବଞ୍ଚିଯାଇଛନ୍ତି। ଅଳ୍ପ ଦିନ ତଳେ ସେ କୋଟ୍ଟାୟମ୍‌ ଜିଲ୍ଲାସ୍ଥିତ ଗୋଟାଏ ଘରୁ ଗୋଖର ସାପଟିଏ ବାହାର କରିବାକୁ ଉଦ୍ୟମ କରୁଥିବା ବେଳେ ସାପଟି ତାଙ୍କୁ ଦଂଶନ କରିଥିଲା। ସେ ସମୟର ଭିଡିଓଟି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାରୁ ଚିକିତ୍ସାଧୀନ ଥିବା ସୁରେଶ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।

ଉଦ୍ଧାର କରିବା, ଧରିବା ସହ ମାରାତ୍ମକ ସରୀସୃପଗୁଡ଼ିକୁ ପୋଷା ମନାଇ ରଖୁଥିବା ବାବା ସୁରେଶ ଏକ ଗରିବ ପରିବାରେ ଜନ୍ମ ହୋଇ ତିରୁବନନ୍ତପୁରମ୍‌ ଅନ୍ତର୍ଗତ ଶ୍ରୀକାର୍ଯ୍ୟମ୍‌ ନଗରୀସ୍ଥିତ ଗୋଟାଏ ଛୋଟ ଘରେ ରହୁଥିଲେ। ବାଳୁତ କାଳରୁ ସାପ ଧରିବା ପ୍ରତି ସେ ଆଗ୍ରହୀ ହୋଇଉଠିଥିଲେ। ୧୯୮୦ ଦଶକରେ ସ୍କୁଲ୍‌ ଯିବା ବାଟରେ ଦୁବୁଲାପତଳା ସୁରେଶ ପ୍ରଥମେ ଗୋଟାଏ ସାପ ସହ ମୁକାବିଲା କରିଥିଲେ। ସେଇଟି ଥିଲା ଗୋଖର। ସୁରେଶ ତାକୁ ଧରି ଘରକୁ ନେଇ ଗୋଟାଏ ବୋତଲରେ ପୂରାଇ୧୫ ଦିନ ରଖିଥିଲେ। ଏଯାବତ୍‌ ସୁରେଶ ୩୦,୦୦୦ରୁ ଅଧିକ ସାପ ଧରି ସାରିଲେଣି ଏବଂ ୩୦୦୦ରୁ ଅଧିକ ଥର ତାଙ୍କୁ ସାପ କାମୁଡ଼ିଲେଣି। ସେଥିରୁ ୩୯୬ଟି ଦଂଶନ ହେଉଛି ବିଷାକ୍ତ ସର୍ପଙ୍କର।

୨୦୨୦ରେ ଗୋଟାଏ ସର୍ପ ଦଂଶନ ଯୋଗୁଁ ତାଙ୍କ ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିଲା। ସେଦିନ ଥିଲା ଫେବ୍ରୁଆରି ୧୩ ତାରିଖ। କଲ୍ଲାରା ନଗରୀର ଗୋଟାଏ କୂଅରୁ ସେ ଗୋଟାଏ ବୋଡ଼ା ଉଦ୍ଧାର କରି ବୋତଲରେ ଭରିଥିଲେ। ସାପଟିକୁ ବୋତଲରୁ କାଢ଼ିବା ପାଇଁ ଦେଖଣାହାରୀମାନଙ୍କ ଅନୁରୋଧ ରକ୍ଷା କରୁଥିବା ବେଳେ ତାଙ୍କ ଡାହାଣ ହାତ ଆଙ୍ଗଠିରେ ସାପଟି ଚୋଟ ମାରିଥିଲା। ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସେ ଅନେକ ଦିନ ଭେଣ୍ଟିଲେଟର୍‌ରେ ଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତୀ ଘଟିବାରୁ ଶହ ଶହ ଲୋକ ହରିପଦରେ ଅରଣ୍ୟରେ ଥିବା ମନ୍ନରସାଲା ନାଗରାଜ ମନ୍ଦିରେ ପୂଜାର୍ଚ୍ଚନା କରିଥିଲେ। ଶେଷରେ ୯ ଦିନ ପରେ ସୁସ୍ଥ ହୋଇ ସୁରେଶ ଡାକ୍ତରଖାନାରୁ ବିଦା ‌ହୋଇଥିଲେ।

୩୦ ବର୍ଷରୁ ଊର୍ଦ୍ଧ୍ବ କାଳ ହେବ ସାମାଜିକ ସେବା ଭାବେ ସାପ ଧରୁଥିବା ସୁରେଶ ସମ୍ପ୍ରତି କେରଳ ବନ ବିଭାଗକୁ ସହଯୋଗ କରୁଛନ୍ତି। କେରଳରେ କେଉଁଠି ବିଷଧର ସର୍ପଟିଏ ଦେଖାଦେଲେ ତାହାକୁ ଧରିବା ପାଇଁ ସୁରେଶଙ୍କୁ ଡକାଯାଏ। ସାପ ଧରିବା ପାଇଁ ସମଗ୍ର କେରଳରେ ଥିବା ଦୂରଦୂରାନ୍ତର ସହର ଗସ୍ତ କରିଥିବା ସୁରେଶଙ୍କୁ ଲୋକେ ଶ୍ରଦ୍ଧାରେ ‘ସ୍ନେକ୍‌ ମାଷ୍ଟର୍‌’ ବୋଲି ଡାକନ୍ତି।

Also Read  ଗଞ୍ଜାମ ଏସପି ଅଫିସ ସମ୍ମୁଖରେ ଯୁବକଙ୍କ ଆତ୍ମାହୂତି ଉଦ୍ୟମ

ସେ ପ୍ରାୟ ୨୦୦ଟି ଅତି ବିଷାକ୍ତ ଅହିରାଜ ସାପ ଧରିଛନ୍ତି। କିନ୍ତୁ, ସାପ ଧରିବା ପାଇଁ ସେ ‘ହୁକ୍‌’ କିଂବା କୌଣସି ଗୋଜିଆ ଉପକରଣ ବ୍ୟବହାର କରନ୍ତି ନାହିଁ। ସାପ ଉଦ୍ଧାର କରିବା ସହ ସୁରେଶ ସଂରକ୍ଷଣ ପାଇଁ ମଧ୍ୟ ସମୟ ଦିଅନ୍ତି। ସ‌େ ୨୦ ହଜାରରୁ ଊର୍ଦ୍ଧ୍ବ ସାପ ଡିମ୍ବ ଫୁଟାଇ ସାପଛୁଆଗୁଡ଼ିକୁ ଅରଣ୍ୟରେ ଛାଡ଼ିଛନ୍ତି। ତାଙ୍କ ଘର ହେଉଛି ଗୋଟାଏ ‘ଛୋଟ ସର୍ପ ଉଦ୍ୟାନ’। ସେ କହନ୍ତି, ପରିବେଶ ପରିବର୍ତ୍ତନ ଯୋଗୁଁ ବାସସ୍ଥାନ ନଷ୍ଟ ହେଉଥିବାରୁ ସର୍ପ-ମାନବ ବିବାଦ ଦେଖାଦେଉଛି।