ବଜେଟରେ ରେଳ ମନ୍ତ୍ରଣାଳୟକୁ କେତେ ଟଙ୍କା ମିଳିଲା? କ’ଣ ସବୁ ରହିଛି ବ୍ୟବସ୍ଥା

0
631

ନୂଆଦିଲ୍ଲୀ: ସବୁଥର ଭଳି ଏଥର ମଧ୍ୟ ସାଧାରଣ ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରେଳ ମନ୍ତ୍ରଣାଳୟ ପାଇଁ ବ୍ୟୟବରାଦ କରିଛନ୍ତି। ସେ ବଜେଟ୍ ଉପସ୍ଥାପନ କରିବା ବେଳେ ସଡ଼କ, ରେଳ, ରାଜପଥ, ବନ୍ଦର ଓ ସାଧାରଣ ପରିବହନକୁ ସରକାର ଅଧିକ ଗୁରୁତ୍ୱ ଦେଉଥିବା କହିଛନ୍ତି। ଏଥିସହ ଭାରତର ଭିତ୍ତିଭୂମି ବିକାଶ ପାଇଁ ନୂତନ ବ୍ଲୁ ପ୍ରିଣ୍ଟର ଅଂଶବିଶେଷ ଭାବେ ପ୍ରଧାନମନ୍ତ୍ରୀ ଗତି ଶକ୍ତି ମାଷ୍ଟରପ୍ଲାନର ଘୋଷଣା ମଧ୍ୟ କରିଛନ୍ତି ।

କେନ୍ଦ୍ର ବଜେଟରେ ରେଳ ମନ୍ତ୍ରଣାଳୟକୁ ୧,୪୦,୩୬୭.୧୩ କୋଟି ଟଙ୍କା ମିଳିଛି। ଏହା ପୂର୍ବ ଆର୍ଥିକ ବର୍ଷର ସଂଶୋଧିତ ବଜେଟ ତୁଳନାରେ ୨୦,୩୧୧ କୋଟି ଅଧିକ। ଅତିରିକ୍ତ ଭାବେ Dedicated Freight Corridor (DFC) ଭାବେ ୧୫,୭୧୦.୪୪ କୋଟି ଦିଆଯାଇଛି। ଅପରେସନ ଓ ରକ୍ଷାଣବେକ୍ଷଣ ପାଇଁ ଏହାକୁ ଖର୍ଚ୍ଚ କରାଯିବ। ବଜେଟରେ ରେଳ ଲାଇନର ନବୀକରଣ ପାଇଁ ୧୩,୩୩୫.୪୭ କୋଟି, ଗଜ କନଭରସନ ପାଇଁ ୨,୮୫୦ କୋଟି ଓ ଦୋହରୀକରଣ ପାଇଁ ୧୨,୧୦୮ କୋଟି ଟଙ୍କା ଦିଆଯାଇଛି। ନୂଆ ରେଳ ଲାଇନ ପାଇଁ ମଧ୍ୟ ୨୫,୨୪୩ କୋଟି ଟଙ୍କା ଆବଣ୍ଟିତ କରାଯାଇଛି।

ଆସନ୍ତା ୩ ବର୍ଷରେ ୪୦୦ଟି ନୂଆ ବନ୍ଦେ ଭାରତ ଟ୍ରେନ୍ ନିର୍ମାଣ କରାଯିବ। ଏହା ପାଇପ ଲାଇନରେ ଥିବା ୧୦୦ ଟ୍ରେନ ସହ ଅତିରିକ୍ତ ଭାବେ ତିଆରି କରାଯିବ। ବଜେଟ ଉପସ୍ଥାପନ ପରେ ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରେସମିଟ୍‌ ଯୋଗେ ଏହାକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି, ବଜେଟରେ ରେଳ ମନ୍ତ୍ରଣାଳୟ ପାଇଁ ୧ ଲକ୍ଷ ୩୭ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ସହାୟତା କରାଯାଇଛି। ବଜେଟରେ ବୈଷୟିକ ଓ ଯାତ୍ରୀ ନିରାପତ୍ତାକୁ ଗୁରୁତ୍ୱ ଦିଆଯାଇଛି। ୩ ବର୍ଷରେ ୪୦୦ ବନ୍ଦେ ଭାରତ ଟ୍ରେନ ଚଳାଚଳ ହେବ। ବନ୍ଦେ ଭାରତ ଟ୍ରେନକୁ ଲୋକେ ଗ୍ରହଣ କରିଛନ୍ତି। ଏହା ପ୍ରାୟ ୯୫% ସିଟ୍ ପୂରଣର ସେବା ଯୋଗାଉଛି ବୋଲି ସେ କହିଛନ୍ତି।

ସେହିପରି ବଜେଟରେ ୫ଜି ସ୍ପେକ୍ଟ୍ରମ ପାଇଁ ବିଡ୍‌ ଆହ୍ୱାନ କରାଯିବ ବୋଲି ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ। ଏ ସମ୍ପର୍କରେ ସୂଚନା ଦେଇ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ୫ଜି ସ୍ପେକ୍ଟ୍ରମ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ମାର୍ଚ୍ଚ ସୁଦ୍ଧା ଏଥିପାଇଁ ନିଲାମ ଡକାଯିବ। ଇଲେକ୍ଟ୍ରୋନିକ୍ଦ ଉତ୍ପାଦନ ୭୫ ବିଲିୟନ ଡଲାର ରହିଛି। ଏହାକୁ ୭୫ ବିଲିୟନ ଡଲାରରୁ ୩ଶହ ବିଲିୟନରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପୋଷ୍ଟ ଓ ରେଳବାଇର ମିଶ୍ରଣ ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଉନ୍ନତ ଲଜିଷ୍ଟିକ ସୁବିଧା ଯୋଗାଇ ଦେବ ବୋଲି ସେ କହିଛନ୍ତି।

Also Read  Kejriwal Tenders Resignation as Delhi CM

ରେଳ କ୍ଷେତ୍ରର ସହ ଚାଷୀଙ୍କୁ ମଧ୍ୟ ଯୋଡ଼ିବାକୁ ବ୍ୟବସ୍ଥା ହୋଇଛି। ଏଥିପାଇଁ ‘ୱାନ ଷ୍ଟେସନ, ୱାନ ପ୍ରଡକ୍ଟ’ ଆରମ୍ଭ ହେବ। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଚାଷୀମାନେ ଉତ୍ପାଦନ କରୁଥିବା ସାମଗ୍ରୀ ଟ୍ରେନ ଯୋଗେ ପରିବହନ କରାଯିବ। ରେଳ ମନ୍ତ୍ରଣାଳୟ ପକ୍ଷରୁ ପୋଷ୍ଟାଲ ରେଳବାଇ ଆରମ୍ଭ କରାଯିବ। ଏହାଦ୍ୱାରା ପାର୍ସଲ ନେବା ଆଣିବା କରି ବ୍ୟବସାୟିକ ସ୍ଥିତିକୁ ସୁଦୃଢ଼ କରାଯାଇପାରିବ।

ଆସନ୍ତା ୩ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଗତି ଶକ୍ତି କାର୍ଗୋ ତିଆରି କରାଯିବ। ସେହିପରି ମେଟ୍ରୋ ସେବା ପାଇଁ ନୂଆ ଧରଣର ବ୍ୟବସ୍ଥା ମଧ୍ୟ ହେବ। ରେଳବାଇ କ୍ଷୁଦ୍ର ଚାଷୀ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ନୂତନ ଉତ୍ପାଦ ଏବଂ ଦକ୍ଷ ଲଜିଷ୍ଟିକ୍ ସେବା ସୃଷ୍ଟି କରିବ। ଆତ୍ମନିର୍ଭର ଭାରତର ଅଂଶବିଶେଷ ଭାବେ ୨୦୦୦ କିମି ରେଳ ନେଟୱର୍କକୁ କବଚ ଅଧୀନକୁ ଅଣାଯିବ। ଏହା ସ୍ୱଦେଶୀ ଜ୍ଞାନକୌଶଳ ଦ୍ୱାରା ଯାତ୍ରୀଙ୍କ ସୁରକ୍ଷାକୁ ନିଶ୍ଚିତ କରିବ। ଏହି କାମ ୨୦୨୨-୨୩ ଆର୍ଥିକ ବର୍ଷ ସୁଦ୍ଧା ଶେଷ ହେବ।

ବଜେଟରେ ସରକାର ଘୋଷଣା କରିଥିବା ୧୦୦ଟି ଗତି ଶକ୍ତି ଟର୍ମିନାଲ ଶିଳ୍ପ କ୍ଷେତ୍ର ପାଇଁ ବହୁତ ଲାଭଦାୟକ ହେବ। କାରଣ ଏହା ଲଜିଷ୍ଟିକ୍ ଦାମ ଓ ସମୟକୁ ବହୁ ମାତ୍ରାରେ ହ୍ରାସ କରିବ। କିନ୍ତୁ ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ରେଳବାଇ ଆଗରେ ଚ୍ୟାଲେଞ୍ଜ ସୃଷ୍ଟି କରିବାର ଆଶଙ୍କା ରହିଛି।୪୦୦ଟି ନୂତନ ବନ୍ଦେ ଭାରତ ଟ୍ରେନ୍ ଚଳାଇବା ପାଇଁ ପ୍ରାୟ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ୭୫ ସପ୍ତାହ ମଧ୍ୟରେ ୭୫ଟି ନୂଆ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରିବ ବୋଲି କହିଥିଲେ। ହେଲେ ଆଜି ଯାଏ ଗୋଟିଏ ଟ୍ରେନ ଚାଲି ପାରିନି। ଏଭଳି ପରିସ୍ଥିତିରେ ୪୦୦ଟି ଟ୍ରେନ୍ କେବେ ପ୍ରସ୍ତୁତ ହେବ, ତା’କୁ ନେଇ ପ୍ରଶ୍ନ ଉଠିଛି।

LEAVE A REPLY

Please enter your comment!
Please enter your name here