ଜାମ୍ମୁ-କଶ୍ମୀର: ପୁଲୱାମାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଲସ୍କର -ଇ-ତୋଇବାର ୩ ଆତଙ୍କବାଦୀ ନିହତ । ଜାମ୍ମୁ-କଶ୍ମୀରରେ ପୁଲଓ୍ଵାମାର ଦ୍ରବଗାମ ଅଞ୍ଚଳରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ହୋଇଥିବା ଆତଙ୍କବାଦୀମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା ସହ ସେମାନଙ୍କ ସଂପୃକ୍ତି ଥିବା ଜଣାପଡିଛି । ଆତଙ୍କବାଦୀଙ୍କ ନିକଟରୁ ୨ଟି AK-47 ରାଇଫଲ, ଗୋଟିଏ ପିସ୍ତଲ ସହ ମାରଣାସ୍ତ୍ର ଓ ଗୁଳି ଜବତ ହୋଇଛି । ଏହି ସ୍ଥାନରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।
ମୃତ ଆତଙ୍କବାଦୀମାନେ ହେଲେ ପୁଲୱାମା ହରିପୋରାର ଇରଫାନ ମଲିକ(୨୫), ଫଜିଲ ନଜିର ଭଟ୍ଟ(୨୧) ଓ ଗୁଦୌରାର ଜୁନେଦ କାଦିର(୧୯)। ଏମାନେ ଆତଙ୍କବାଦୀମାନେ ସଙ୍ଗଠନ ଲସ୍କର-ଏ-ତୋଏବାର ସଦସ୍ୟ ଥିଲେ। ଏହି ଆତଙ୍କବାଦୀମାନେ ଦୀର୍ଘ ଦିନ ଧରି କଶ୍ମୀରର ବିଭିନ୍ନ ସ୍ଥାନରେ ଲସ୍କର-ଏ-ତୋଏବାର କହିବାନୁସାରେ ହିଂସା ଓ ଅନ୍ୟ ଅପରାଧିକ କାର୍ଯ୍ୟ କରୁଥିଲେ। ପୁଲିସ କନଷ୍ଟେବଲ ରିୟାଜ ଅହମ୍ମଦ ହତ୍ୟା ଘଟଣାରେ ଏମାନଙ୍କ ମଧ୍ୟରୁ ଜଣଙ୍କ ସଂପୃକ୍ତି ଥିଲା ବୋଲି ଜଣାପଡିଛି । ପୂର୍ବରୁ ୨୭ ମେ’ରେ ପୁଲୱାମାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ହୋଇଥିଲା । ଯେଉଁଥିରେ ଲସ୍କର -ଇ-ତୋଇବାର ଜଣେ ଡେପୁଟି କମାଣ୍ଡର ସହ ୩ ଆତଙ୍କବାଦୀ ନିହତ ହୋଇଥିଲେ ।