ଥମିବାର ନାଁ ଧରୁନି ରୁଷ୍‌-ୟୁକ୍ରେନ ଯୁଦ୍ଧ: ଆସନ୍ତାକାଲି ରୁଷର ବିଜୟ ଦିବସ, ଭୟରେ ଥରିଲେଣି ୟୁକ୍ରେନ୍‌ ସମେତ ଅନେକ ପାଶ୍ଚାତ୍ୟ ଦେଶ

0
353
tomorrow russia-victory-day eyed-amid-russia-ukraine-war

ନୂଆଦିଲ୍ଲୀ : ୯ ତାରିଖକୁ ନେଇ ଭୟ। ଆସନ୍ତାକାଲି ବିଜୟ ଦିବସ ପାଳିବ ରୁଷ୍‌। ନାଜି ଜର୍ମାନୀ ଉପରେ ମସ୍କୋର ବିଜୟ ପରିପ୍ରେକ୍ଷୀରେ ଏହା ପାଳନ କରାଯିବ। ଏହି ଦିନ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ବଡ଼ ଯୁଦ୍ଧ ଘୋଷଣା କରିପାରନ୍ତି ବୋଲି ଆଶଙ୍କା କରାଯାଉଛି। ଏହାକୁ ନେଇ ୟୁକ୍ରେନ୍‌ ଓ ପାଶ୍ଚାତ୍ୟ ଦେଶ ଗୁଡିକୁ ଭୟ ଘାରିଛି। ବିଜୟ ଦିବସ ପରେଡ୍‌ ପାଇଁ ଶନିବାର ଅନୁଷ୍ଠିତ ସାମରିକ ରିହର୍ସଲରେ ରୁଷ୍‌ ଏହାର ପରମାଣୁ ମିସାଇଲକୁ ସାମିଲ କରିବା ପରେ ଯୁଦ୍ଧ ଭୟ ବଢିଛି।

ଏହି କ୍ରମରେ ବାଲଟିକ୍‌ ସାଗରରେ ରୁଷ୍‌ ସେନା ଆଣବିକ ଯୁଦ୍ଧାଭ୍ୟାସ କରି ଏ ସମ୍ପର୍କରେ ସଙ୍କେତ ଦେଇଛି। ମସ୍କୋର ରେଡ୍‌ ସ୍କୋୟାରରେ ଏହି ଥର୍ମୋନ୍ୟୁକ୍ଲିୟର ମିସାଇଲ୍‌ (ଆରଏସ୍‌-୨୪ ୟାର୍ସ ବାଲିଷ୍ଟିକ୍‌ ମିସାଇଲ୍‌) ଦେଖିବାକୁ ମିଳିଛି। ଏହାବ୍ୟତୀତ ରୁଷିଆର ପଶ୍ଚିମ ବାଗରେ କାଲିନିନ୍‌ଗ୍ରେଡ୍‌ ଠାରେ ମଧ୍ୟ ରୁଷ୍‌ ସେନା ଅଣୁଅସ୍ତ୍ର ସଂଯୋଜିତ କ୍ଷେପଣାସ୍ତ୍ର ପ୍ରୟୋଗର ଅଭ୍ୟାସ କରିଛନ୍ତି। ପ୍ରତିବର୍ଷ ରୁଷ ଏହି ବିଜୟ ଦିବସ ପାଳନ କରୁଥିଲେ ବି ଏବର୍ଷର ବିଜୟ ଦିବସ ଟିକିଏ ସ୍ବତନ୍ତ୍ର ବୋଲି କୁହାଯାଉଛି । କାରଣ ଏବେ ରୁଷ ସେନା ୟୁକ୍ରେନରେ ଯୁଦ୍ଧ ଲଢୁଛି । ଯୁଦ୍ଧ ଆରମ୍ଭ ହେବାର ୨ ମାସ ବିତିଯାଇଥିଲେ ବି ବିଜୟ ହାସଲ ତ ଦୂରର କଥା ରୁଷ ସେନା ଅନେକ କ୍ଷତି ସହିଛି । ଏଣୁ ନିଜ ସେନା ଓ ଦେଶବାସୀଙ୍କ ମନୋବଳ ଦୃଢ କରିବାକୁ ଏହି ବିଜୟ ଉତ୍ସବକୁ ପୁଟିନ ବ୍ୟବହାର କରିବେ ।

ପୁଣି ଏହି ବିଜୟ ଦିବସ ବାହାନାରେ ପୁଟିନ ୟୁକ୍ରେନରେ ଚାଲିଥିବା ଯୁଦ୍ଧକୁ ଆହୁରି ତୀବ୍ର କରିପାରନ୍ତି ବୋଲି କେତେକ ବିଶେଷଜ୍ଞ ମତ ଦେଇଛନ୍ତି । ଏପରି ହେଲେ ସ୍ଥିତି ଆହୁରି ବିଗିଡ଼ିବାର ଆଶଙ୍କା ରହିଛି । ପୂର୍ବରୁ ବହୁବାର ଆଣବିକ ଅସ୍ତ୍ର ପ୍ରୟୋଗକ ନେଇ ରାଷ୍ଟ୍ରପତି ପୁଟିନ୍‌ ସଙ୍କେତ ଦେଇସାରିଥିଲେ ମଧ୍ୟ ବିଜୟ ଦିବସ ପାଳନ ବେଳେ ଅଚାନକ ଭାବେ ରୁଷ୍‌ ସେନାର ସିମୁଲେଟେଡ୍‌ ଆଚାକ୍‌ ଚେତାବନୀ ବିଭିନ୍ନ ରାଷ୍ଟ୍ରଙ୍କୁ ଚିନ୍ତାରେ ପକାଇଛି।

Also Read  Sudarsan Patnaik's "Go Green Ganesha" wins gold at Moscow